ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



କମ୍ବାଇନଡ୍ ଫୁଟିଙ୍ଗ୍: ପ୍ରକାରଭେଦ, ବ୍ୟବହାର, ଓ ଲାଭ

କମ୍ବାଇନଡ୍ ଫୁଟିଙ୍ଗ ସମ୍ପର୍କରେ ଜାଣିବା ଯୋଗ୍ୟ ଅତ୍ୟାବଶ୍ୟକ କଥା, ତାହାର ପ୍ରକାରଭେଦ, ବ୍ୟବହାର ଏବଂ ଆଧୁନିକ ନିର୍ମାଣ କାର୍ଯ୍ୟରେ ତାହାର ଉଲ୍ଲେଖନୀୟ ଲାଭଗୁଡ଼ିକୁ ଆବିଷ୍କାର କରନ୍ତୁ ।

Share:


ବିଲଡିଂ ନିର୍ମାଣ କରିବା ସମୟରେ, ବିଶେଷକରି ଯେଉଁଠି ଅନିୟମିତ ସ୍ତମ୍ଭ ବା କଲମ୍ ସ୍ଥାପନ ହୋଇଥାଏ କିମ୍ବା ନିର୍ମାଣ କାର୍ଯ୍ୟଟି ସମ୍ପତ୍ତି ରେଖା ନିକଟରେ ହୋଇଥାଏ ସେଠାରେ, ଭାରକୁ ଦକ୍ଷତାର ସହ ବଣ୍ଟନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଏଠାରେ ହିଁ କମ୍ବାଇନଡ୍ ଫୁଟିଙ୍ଗ୍ କାମରେ ଆସିଥାଏ । ଏଗୁଡ଼ିକ ହେଉଛି ଏକରୁ ଅଧିକ କଲମ୍ କିମ୍ବା ପିଲାର୍ ର ଭାରକୁ ସମ୍ଭାଳୁଥିବା ଢାଞ୍ଚାଗତ ଉପାଦାନ, ଯାହା ଏକ ସ୍ଥିର ଆଧାର ପ୍ରଦାନ କରିବା ସହ ଭାରକୁ ସମାନ ଭାବେ ବଣ୍ଟନ କରିଥାଏ । ଏହି ବ୍ଲଗରେ, ଆମେ ବିଭିନ୍ନ ପ୍ରକାରର କମ୍ବାଇନଡ୍ ଫୁଟିଙ୍ଗ୍, ସେଗୁଡ଼ିକର ପ୍ରୟୋଗ ଏବଂ ବିଭିନ୍ନ ନିର୍ମାଣ ପରିଦୃଶ୍ୟରେ ସେଗୁଡ଼ିକ ପ୍ରଦାନ କରୁଥିବା ସ୍ୱତନ୍ତ୍ର ଫାଇଦା ବିଷୟରେ ଆଲୋଚନା କରିବୁ । ଏହି ଦିଗଗୁଡ଼ିକୁ ବୁଝିବା ଦ୍ୱାରା, ନିର୍ମାଣ ବୃତ୍ତିଧାରୀମାନେ ସେମାନଙ୍କ ପ୍ରକଳ୍ପଗୁଡିକରେ ସଚେତନ ନିଷ୍ପତ୍ତି ନେଇପାରିବେ ତଥା ସ୍ଥିରତା, ନିରାପତ୍ତା ଏବଂ ଖର୍ଚ୍ଚ-ଦକ୍ଷତା ସୁନିଶ୍ଚିତ କରିପାରିବେ।

 

 


କମ୍ବାଇନଡ୍ ଫୁଟିଙ୍ଗ୍ କ’ଣ?

କମ୍ବାଇନଡ୍ ଫୁଟିଙ୍ଗ୍ ମୂଳତଃ କଂକ୍ରିଟରେ ନିର୍ମିତ ଏକ ଲମ୍ବା ପ୍ଲାଟଫର୍ମ ହୋଇଥାଏ ଯାହା ଏକରୁ ଅଧିକ ସ୍ତମ୍ଭ କିମ୍ବା କାନ୍ଥକୁ ସମର୍ଥନ କରିଥାଏ ବା ସେଗୁଡ଼ିକର ଭାରକୁ ସମ୍ଭାଳିଥାଏ । ଏହା ଏକାଧିକ ବିଲଡିଂ ସ୍ତମ୍ଭ ପାଇଁ ଏକ ଅଂଶୀଦାର ଶଯ୍ୟା ଭଳି, ଯାହାକୁ ପ୍ରତ୍ୟେକ ସ୍ତମ୍ଭ ବା କଲମ୍ ନିଜର ଓଜନକୁ ସମାନ ରୂପେ ବିଭାଜନ କରିବା ପାଇଁ ମିଳିତ ଭାବେ ବ୍ୟବହାର କରିଥାନ୍ତି । ଏହି ପ୍ରକାରର ଫୁଟିଙ୍ଗ୍ ପ୍ରାୟତଃ ସେତେବେଳେ ବ୍ୟବହୃତ ହୁଏ ଯେତେବେଳେ ସ୍ତମ୍ଭଗୁଡିକ ପରସ୍ପରର ଅତି ନିକଟରେ ଥାଏ କିମ୍ବା ସେଗୁଡ଼ିକ ମଧ୍ୟରେ ବ୍ୟବଧାନ ଅନିୟମିତ ହୋଇଥାଏ କିମ୍ବା ସମ୍ପତ୍ତିର ସୀମା କାରଣରୁ ଫୁଟିଙ୍ଗର ଧାରକୁ ସୀମିତ ରଖିବାର ଆବଶ୍ୟକତା ରହିଥାଏ । ଏକ କମ୍ବାଇନଡ୍ ଫୁଟିଙ୍ଗ୍‌ ର ବିକଳ୍ପ ଚୟନ କରି, ଉପଲବ୍ଧ ସ୍ଥାନ କିମ୍ବା ନିର୍ମାଣ ଖର୍ଚ୍ଚ ସହ ସାଲିସ୍ ନ କରି ଢାଞ୍ଚା ସନ୍ତୁଳିତ ସମର୍ଥନ ବଜାୟ ରଖିପାରିବ ।

 

କମ୍ବାଇନଡ୍ ଫୁଟିଙ୍ଗ୍ ର ବିଭିନ୍ନ ପ୍ରକାରଭେଦ



ନିର୍ମାଣ ଜଗତରେ, ପ୍ରତ୍ୟେକ ପ୍ରକଳ୍ପର ନିଆରା ଚାହିଦାକୁ ସୁହାଇବା ପାଇଁ କମ୍ବାଇନଡ୍ ଫୁଟିଙ୍ଗ୍ ବିଭିନ୍ନ ଆକାର ଓ ଆୟତନରେ ଆସିଥାଏ । ସାଧାରଣ ଭାବେ ବ୍ୟବହୃତ ହେଉଥିବା କେତେକ କମ୍ବାଇନଡ୍ ଫୁଟିଙ୍ଗ୍ ବିଷୟରେ ଆସନ୍ତୁ ଆଲୋଚନା କରିବା:

 

୧. ଆୟତାକାର କମ୍ବାଇନଡ୍ ଫୁଟିଙ୍ଗ୍

ଯେମିତିକି ଏହାର ନାମ ସୂଚାଉଛି, ଆୟତାକାର କମ୍ବାଇନଡ୍ ଫୁଟିଙ୍ଗ୍ ଆୟତାକାର ହୋଇଥାଏ । ଏହା ସାଧାରଣତଃ ସେତେବେଳେ ବ୍ୟବହୃତ ହୁଏ ଯେତେବେଳେ ଦୁଇଟି ସ୍ତମ୍ଭ ବା କଲମ୍ ର ଭାର ସମାନ ହୋଇନଥାଏ କିମ୍ବା ସେଗୁଡ଼ିକର କେନ୍ଦ୍ର ଗୋଟିଏ ସରଳରେଖାରେ ରହୁ ନ ଥାଏ । ଆୟତକ୍ଷେତ୍ରର ଅସମାନ ଦୈର୍ଘ୍ୟ ଦ୍ୱାରା ଏହି ଅସନ୍ତୁଳନକୁ ସଂଶୋଧିତ କରାଯାଏ, ଯାହାଫଳରେ ଏପରି ଏକ ପ୍ଲାଟଫର୍ମ ସୃଷ୍ଟି ହୁଏ, ଯାହା ଉଭୟ କଲମ୍ କୁ ସମାନ ଭାବେ ସମର୍ଥନ କରିପାରିଥାଏ । କଲମ୍ ଗୁଡ଼ିକ ସୀମାରେଖାର ଅତି ନିକଟରେ ରହୁଥିଲେ, ଯେଉଁଠି ମାନକ ସ୍ପ୍ରେଡ୍ ଫୁଟିଙ୍ଗ୍ ସେହି ସୀମାକୁ ଅତିକ୍ରମ କରିଯାଉଥିବ, ସେ କ୍ଷେତ୍ରରେ ଏ ପ୍ରକାରର ଫୁଟିଙ୍ଗ୍ ବିଶେଷ ଭାବେ ଉପାଦେୟ ସାବ୍ୟସ୍ତ ହୋଇଥାଏ ।

 

୨. ଷ୍ଟ୍ରାପ୍ ବା କାଣ୍ଟିଲିଭର୍ କମ୍ବାଇନଡ୍ ଫୁଟିଙ୍ଗ୍

ଏହି ପ୍ରକାରରେ ଏକ ବିମ୍ କିମ୍ବା ଷ୍ଟ୍ରାପ୍ ଦ୍ୱାରା ସଂଯୋଜିତ ଦୁଇଟି ଅଲଗା ଫୁଟିଙ୍ଗ୍ ରହିଥାଏ, ଯାହା ସେଗୁଡ଼ିକୁ ଏକାଠି କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ । ଏହା ବିଶେଷ ଭାବରେ ଉପଯୋଗୀ ହୋଇଥାଏ ଯେତେବେଳେ ଦୁଇଟି କଲମ୍ କୁ ଏକ ମାନକ ଆୟତାକାର ଫୁଟିଙ୍ଗ୍ ପାଇଁ ଅତ୍ୟଧିକ ଅନିୟମିତ ଭାବରେ ସ୍ଥାନିତ କରାଯାଏ । ଷ୍ଟ୍ରାପ୍ ଦୁଇଟି ଫୁଟିଙ୍ଗ୍ କୁ ସେମାନଙ୍କ ମଧ୍ୟରେ ମାଟି ଉପରେ କୌଣସି ଚାପ ନ ପକାଇ ସଂଯୋଗ କରିଥାଏ, କଲମ୍ ତଳେ ଫୁଟିଙ୍ଗ୍ କେନ୍ଦ୍ରୀଭୂତ ନ ଥିଲେ ମଧ୍ୟ ଭାରକୁ ପ୍ରଭାବଶାଳୀ ଭାବରେ ସନ୍ତୁଳିତ କରିଥାଏ ।

 

୩. ଟ୍ରାପିଜଏଡାଲ୍ କମ୍ବାଇନଡ୍ ଫୁଟିଙ୍ଗ୍

ଯେତେବେଳେ ଗୋଟିଏ କଲମ୍ ଅନ୍ୟ କଲମ୍ ତୁଳନାରେ ଯଥେଷ୍ଟ ଅଧିକ ଭାର ବହନ କରେ, ଏକ ଟ୍ରାପିଜଏଡାଲ୍ କମ୍ବାଇନଡ୍ ଫୁଟିଙ୍ଗ୍ ଏକ ଅନୁକୂଳ ବିକଳ୍ପ ପାଲଟିଯାଏ । ପ୍ରତ୍ୟେକ କଲମ୍ ର ଚାହିଦା ଅନୁଯାୟୀ ଓଜନ ବଣ୍ଟନ କରିବା ପାଇଁ ଏହାକୁ ଟ୍ରାପିଜଏଡାଲ୍ ଆକୃତି ସହିତ ଡିଜାଇନ୍ କରାଯାଇଥାଏ । ଏହି ପାଦଚିହ୍ନ ସୁନିଶ୍ଚିତ କରେ ଯେ ଭାରି ସ୍ତମ୍ଭକୁ ଅଧିକ କ୍ଷେତ୍ରଫଳ ଏବଂ ପରିଣାମସ୍ୱରୂପ ଅଧିକ ସମର୍ଥନ ମିଳିବ, ଯାହା ସମଗ୍ର ନିର୍ମାଣର ସ୍ଥିରତା ବଜାୟ ରଖିଥାଏ ।

 

୪. ସ୍ଲାବ୍ ଟାଇପ୍ କମ୍ବାଇନଡ୍ ଫୁଟିଙ୍ଗ୍

ଏପରି ପରିସ୍ଥିତି ଯେଉଁଠି ଏକାଧିକ କଲମ୍ ଧାଡ଼ିରେ ରହିଥାଏ ଏବଂ ଏକ ଜଏଣ୍ଟ ଫୁଟିଙ୍ଗ୍ ଆବଶ୍ୟକ କରିଥାଏ, ସେଠାରେ ସ୍ଲାବ୍ ଟାଇପ୍ କମ୍ବାଇନଡ୍ ଫୁଟିଙ୍ଗ୍ ଏକ ଆଦର୍ଶ ସମାଧାନ ସାବ୍ୟସ୍ତ ହୋଇଥାଏ । ମୂଳତଃ, ଏହା ଏକ ବଡ଼ ଆକାରର ସ୍ଲାବ୍ ହୋଇଥାଏ ଯାହା କଲମ୍ ଗୁଡ଼ିକର ଧାଡ଼ିକୁ ସମର୍ଥନ ଯୋଗାଇଥାଏ । ଏ ପ୍ରକାର ଫୁଟିଙ୍ଗ୍ ଷ୍ଟ୍ରିପ୍ ଫାଉଣ୍ଡେସନ୍ ଭଳି ସମାନ ଧରଣର ହୋଇଥାଏ କିନ୍ତୁ ଏହାକୁ କାନ୍ଥ ପରିବର୍ତ୍ତେ କଲମ୍ ପାଇଁ ବ୍ୟବହାର କରାଯାଇଥାଏ । ଏହା ନିର୍ମାଣର ସରଳତା ପ୍ରଦାନ କରେ ଏବଂ ମାଟିର ଧାରଣ କ୍ଷମତା କମ୍ ରହିଥିବା କ୍ଷେତ୍ରରେ ଏହାର ସର୍ବୋତ୍ତମ ଉପଯୋଗ କରାଯାଏ ।

 

କମ୍ବାଇନଡ୍ ଫୁଟିଙ୍ଗ୍ ବିଭିନ୍ନ ନିର୍ମାଣ ଆହ୍ୱାନର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଅନୁକୂଳ ସମାଧାନ ଅଟେ । ଯଦିଓ ଉପରୋକ୍ତ ପ୍ରକାରଗୁଡିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ, କୌଣସି ପ୍ରକଳ୍ପ ପାଇଁ ସବୁଠାରୁ ଉପଯୁକ୍ତ ଫୁଟିଙ୍ଗ୍ ମାଟିର ଅବସ୍ଥା, କଲମ୍ ମଧ୍ୟରେ ରହିଥିବା ବ୍ୟବଧାନ, ଭାରର ଆବଶ୍ୟକତା ଏବଂ ସମ୍ପତ୍ତି ସୀମାର ନିକଟତରତା ପରି ନିର୍ଦ୍ଦିଷ୍ଟ କାରଣଗୁଡ଼ିକ ଉପରେ ନିର୍ଭର କରିଥାଏ । ଏହି ମୌଳିକ ବିଷୟଗୁଡ଼ିକୁ ବୁଝିବା ଯେ କୌଣସି ଢାଞ୍ଚା ପାଇଁ ଏକ ସ୍ଥିର ଏବଂ ସ୍ଥାୟୀ ଆଧାରକୁ ସୁନିଶ୍ଚିତ କରିଥାଏ ।

 

 

କମ୍ବାଇନଡ୍ ଫୁଟିଙ୍ଗ୍ ର ବ୍ୟବହାର



କମ୍ବାଇନଡ୍ ଫୁଟିଙ୍ଗ୍ ମୁଖ୍ୟତଃ ସେତେବେଳେ ବ୍ୟବହୃତ ହୁଏ ଯେତେବେଳେ ନିର୍ମିତ ସ୍ତମ୍ଭଗୁଡିକ ପରସ୍ପର ନିକଟରେ ଥାଏ ଏବଂ ଗୋଟିଏ ଫୁଟିଙ୍ଗ୍ ଗୋଟିଏ କଲମ୍ ଅନ୍ୟ କଲମ୍ କୁ ଅତିକ୍ରମ ନକରି ବ୍ୟକ୍ତିଗତ ଭାବରେ ସମର୍ଥନ କରିପାରିବ ନାହିଁ । ଏପରି ପ୍ରାୟତଃ ସେହି ଢାଞ୍ଚାରେ ଦେଖାଯାଏ ଯେଉଁଠାରେ ସ୍ଥାନ ସୀମିତ ଥାଏ କିମ୍ବା ଯେଉଁଠାରେ ମାଟିର କ୍ଷମତା କମ୍ ଥାଏ ଏବଂ ଅତ୍ୟଧିକ ଧସିବା କିମ୍ବା ସେଟଲମେଣ୍ଟକୁ ରୋକିବା ପାଇଁ ଭାରର ବ୍ୟାପକ ବଣ୍ଟନ ଆବଶ୍ୟକ ହୋଇଥାଏ । ଯେତେବେଳେ କଲମ୍ ଗୁଡିକ ସମ୍ପତ୍ତି ସୀମା ନିକଟରେ ଥାଏ ଏବଂ ଅନୁମୋଦିତ ବିଲଡିଂ ଲାଇନ ବାହାରେ ମାନକ ଫୁଟିଙ୍ଗ୍ ବିସ୍ତାରିତ ହେବାର ସମ୍ଭାବନା ଥାଏ ସେତେବେଳେ ମଧ୍ୟ ସେଗୁଡିକ ବ୍ୟବହୃତ ହୁଏ ।

 

୧. ସୀମିତ ଜାଗା

ଯେଉଁ ନିର୍ମାଣରେ ଜାଗା ଅତି ସୀମିତ ଥାଏ ସେଠାରେ କମ୍ବାଇନଡ୍ ଫୁଟିଙ୍ଗ୍ ବିଶେଷ ଉପଯୋଗୀ ହୋଇଥାଏ । ଯେତେବେଳେ ସ୍ତମ୍ଭଗୁଡ଼ିକ ପରସ୍ପରର ନିକଟବର୍ତ୍ତୀ ହୋଇଥାଏ, ଏବଂ ପୃଥକ୍ ପୃଥକ୍ ଫୁଟିଙ୍ଗ୍ ପରସ୍ପର ଉପରେ ଚଢ଼ିଯିବାର ସମ୍ଭାବନା ଥାଏ ତେବେ, କମ୍ବାଇନଡ୍ ଫୁଟିଙ୍ଗ୍ ଏଗୁଡ଼ିକୁ ଏକକ ଢାଞ୍ଚାଗତ ଉପାଦାନରେ ଏକତ୍ରିତ କରି ଏକ ବ୍ୟବହାରିକ ସମାଧାନ ପ୍ରଦାନ କରିଥାଏ ।

 

୨. ଦୁର୍ବଳ ମାଟି ଉପରେ ଭାର ବଣ୍ଟନ

ଯେଉଁ ଅଞ୍ଚଳରେ ମାଟିର ଭାର ବହନ କ୍ଷମତା ଆଦର୍ଶଠାରୁ କମ୍, ସେଠାରେ ଭାର ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ପାଲଟିଯାଏ । କମ୍ବାଇନଡ୍ ଫୁଟିଙ୍ଗ୍ ଗୁଡ଼ିକ ଏକାଧିକ ସ୍ତମ୍ଭରୁ ଭାରକୁ ବ୍ୟକ୍ତିଗତ ଫୁଟିଙ୍ଗ୍ ତୁଳନାରେ ଏକ ବୃହତ ଅଞ୍ଚଳରେ ବଣ୍ଟନ କରିବାରେ ସାହାଯ୍ୟ କରେ, ଯାହା ଫଳରେ ମାଟି ଉପରେ ଚାପ ହ୍ରାସ ପାଇଥାଏ ଏବଂ ଅତ୍ୟଧିକ ସେଟଲମେଣ୍ଟ ହେବାର ଆଶଙ୍କା ନ୍ୟୂନତମ ହୋଇଯାଇଥାଏ ।

 

୩. ସମ୍ପତ୍ତି ସୀମାର ସାମିପ୍ୟ

ପ୍ରାୟ ସମୟରେ, ସମ୍ପତ୍ତି ରେଖା ନିକଟରେ କରାଯାଉଥିବା ନିର୍ମାଣ କେତେକ କଟକଣାର ସମ୍ମୁଖୀନ ହୋଇଥାଏ, ଯେମିତିକି - ଫାଉଣ୍ଡେସନ୍ ବାହାର ଆଡ଼କୁ କେତେ ବିସ୍ତାରିତ ହୋଇପାରିବ । ଜାଗାକୁ ନେଇ ରହିଥିବା ଏପରି ବାଧ୍ୟବାଧକତାର ମୁକାବିଲା କରିବା ପାଇଁ ଏପରି କମ୍ବାଇନଡ୍ ଫୁଟିଙ୍ଗ୍ କୁ ଡିଜାଇନ୍ କରାଯାଇପାରିବ, ଯାହା ଆବଶ୍ୟକ ଭାରକୁ ସମ୍ଭାଳିପାରୁଥିବ । ତେଣୁକରି, କମ୍ବାଇନଡ୍ ଫୁଟିଙ୍ଗ୍ ସହରାଞ୍ଚଳ ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ଏକ ଅତ୍ୟାବଶ୍ୟକ ସାଧନରେ ପରିଣତ ହୋଇଛି ।

 

୪. ବିବିଧ ଭାର ପ୍ରବନ୍ଧନ: 

ଭିନ୍ନ ଭିନ୍ନ ଓଜନ ବିଶିଷ୍ଟ ସ୍ତମ୍ଭ ବା କଲମ୍ ରହିଥିବା କୋଠାଗୁଡ଼ିକ କମ୍ବାଇନଡ୍ ଫୁଟିଙ୍ଗ୍ ଦ୍ୱାରା ଲାଭାନ୍ୱିତ ହୋଇପାରିବ । ଏହି ଫୁଟିଙ୍ଗ୍ ଗୁଡ଼ିକୁ ଭାରର ଅସମାନ ବଣ୍ଟନକୁ ସମ୍ଭାଳିବା ପାଇଁ ନିର୍ମିତ କରାଯାଇପାରିବ, ଯାହା କଲମ୍ ଗୁଡ଼ିକ ମଧ୍ୟରେ ରହିଥିବା ଭିନ୍ନ ଭିନ୍ନ ଓଜନ ସତ୍ତ୍ୱେ ଢାଞ୍ଚାର ସ୍ଥିରତାକୁ ସୁନିଶ୍ଚିତ କରିଥାଏ ।

 

୫. ଏକାଧିକ କଲମ୍ ପାଇଁ ଅର୍ଥସାଶ୍ରୟୀ ସମାଧାନ

ଯେଉଁଠି ଦୁଇ କିମ୍ବା ଅଧିକ କଲମ୍ ମଧ୍ୟରେ ବ୍ୟବଧାନ ଅପେକ୍ଷାକୃତ କମ୍ ରହିଥାଏ, ସେଠାରେ ଏକାଧିକ ପୃଥକ୍ ଫୁଟିଙ୍ଗ୍ ନିର୍ମାଣ କରିବା ପରିବର୍ତ୍ତେ ଗୋଟିଏ ବଡ଼ ଫୁଟିଙ୍ଗ୍ ଅଧିକ ଅର୍ଥ ସାଶ୍ରୟୀ ହୋଇଥାଏ । ଏହା ଅତିରିକ୍ତ ଖନନ, ଫର୍ମୱାର୍କ ଏବଂ କଂକ୍ରିଟ୍ ର ଆବଶ୍ୟକତାକୁ ହ୍ରାସ କରିଥାଏ ଏବଂ ଉଭୟ ସାମଗ୍ରୀ ଏବଂ ଶ୍ରମ ଖର୍ଚ୍ଚକୁ ହ୍ରାସ କରିଥାଏ ।

 

ଉପରୋକ୍ତ ପ୍ରତ୍ୟେକ କମ୍ବାଇନଡ୍ ଫୁଟିଙ୍ଗ୍ ଗୁଡ଼ିକର ନମନୀୟତା ଏବଂ ଦକ୍ଷତାକୁ ସୂଚାଇଥାଏ । ଆହ୍ୱାନପୂର୍ଣ୍ଣ ପରିବେଶରେ ଆଧୁନିକ ନିର୍ମାଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସାବ୍ୟସ୍ତ ହୋଇଥାଏ ।


କମ୍ବାଇନଡ୍ ଫୁଟିଙ୍ଗ୍ ଫାଉଣ୍ଡେସନର ଲାଭ

 

୧. ଜାଗା ବ୍ୟବହାରର କୁଶଳତା

କମ୍ବାଇନଡ୍ ଫୁଟିଙ୍ଗ୍ ଗୁଡ଼ିକ ଏକାଧିକ କଲମ୍ ଗୁଡ଼ିକୁ ଗୋଟିଏ ଫୁଟିଙ୍ଗ୍ ପ୍ଲାଟଫର୍ମରେ ସମର୍ଥନ ଦେଇ ଉପଲବ୍ଧ ସ୍ଥାନକୁ ଦକ୍ଷତାର ସହିତ ବ୍ୟବହାର କରନ୍ତି । କମ୍ ଜାଗାର ସମସ୍ୟା ଥିବା ସ୍ଥାନରେ ଏହା ବିଶେଷ ଭାବରେ ଲାଭଦାୟକ ।

 

୨. ଭାର ବଣ୍ଟନ

ଏହି ଫୁଟିଙ୍ଗ୍ ଗୁଡ଼ିକ ଅନେକଗୁଡ଼ିକ କଲମ୍ କିମ୍ବା କାନ୍ଥର ଭାରକୁ ଏକ ଅଧିକ ବଡ଼ କ୍ଷେତ୍ରରେ ସମଭାଗ କରିଥାଏ, ମାଟି ଉପରେ ଚାପ କମ କରିଥାଏ ଓ ଅସମ ଅବତଳନ ବା ଧସିଯିବାକୁ ରୋକିଥାଏ ।

 

୩. ଖର୍ଚ୍ଚ-ସାଶ୍ରୟୀ

ଏକାଧିକ କଲମ୍ ପାଇଁ ଫୁଟିଙ୍ଗ୍ ଗୁଡ଼ିକୁ ଏକାଠି କରି କମ୍ବାଇନଡ୍ ଫୁଟିଙ୍ଗ୍ ବ୍ୟବହାର କରିବା ମାଧ୍ୟମରେ ମାଟି ଖନନ, ଫର୍ମୱର୍କ ଓ କଂକ୍ରିଟର ଆବଶ୍ୟକତା କମିଯାଏ, ପରିଣାମସ୍ୱରୂପ ବେଶି ଅର୍ଥ ସଞ୍ଚୟ ହୁଏ ।

 

୪. ନମନୀୟତା

କମ୍ବାଇନଡ୍ ଫୁଟିଙ୍ଗ୍ ନିର୍ମାଣ ସ୍ଥଳର ପରିସ୍ଥିତି ଓ ସୀମିତତା ଅନୁଯାୟୀ ଅନୁକୂଳ କରାଯାଇପାରିବ, ଯେଉଁ କାରଣରୁ ସେଗୁଡ଼ିକ ଏକ ବହୁମୁଖୀ ଏବଂ ନମନୀୟ ସମାଧାନ ସାବ୍ୟସ୍ତ ହୋଇଥାଏ ।

ଏଭଳି ନିର୍ମାଣ କାର୍ଯ୍ୟରେ ପ୍ରାୟତଃ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକ ଉପରେ ଅଧିକ ଧାରଣା ପାଇବା ପାଇଁ, ଦେଖନ୍ତୁ ‘ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ନିର୍ମାଣ ସାମଗ୍ରୀ’ ।



ଅତଏବ, ଅନେକ ନିର୍ମାଣ ପରିଦୃଶ୍ୟ ପାଇଁ କମ୍ବାଇନଡ୍ ଫୁଟିଙ୍ଗ୍ ଏକ ବ୍ୟାବହାରିକ ଭିତ୍ତିଭୂମି ବିକଳ୍ପ ଅଟେ, ବିଶେଷକରି ଯେଉଁଠାରେ ସ୍ଥାନ ସୀମିତ ଅଟେ କିମ୍ବା ମୃତ୍ତିକା ପରିସ୍ଥିତି ଆହ୍ୱାନପୂର୍ଣ୍ଣ ଅଟେ । ସେଗୁଡ଼ିକ ସ୍ଥିରତା ସୁନିଶ୍ଚିତ କରିବା ସହ ଢାଞ୍ଚାଗୁଡିକ ପାଇଁ ସମାନ ଲୋଡ୍ ବଣ୍ଟନ ସୁନିଶ୍ଚିତ କରନ୍ତି, ଯାହା ଅତ୍ୟଧିକ ସେଟଲମେଣ୍ଟ ପରି ସମ୍ଭାବ୍ୟ ସମସ୍ୟାକୁ ରୋକିଥାଏ । ଏହାବ୍ୟତୀତ, କମ୍ବାଇନଡ୍ ଫୁଟିଙ୍ଗ୍ ର ବ୍ୟବହାର ଉଭୟ ସାମଗ୍ରୀଗତ ଆବଶ୍ୟକତା ଏବଂ ସାମଗ୍ରିକ ନିର୍ମାଣ ଖର୍ଚ୍ଚକୁ ହ୍ରାସ କରିପାରେ, ଯାହା ସେଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଏକ ଅନୁକୂଳ ବିକଳ୍ପରେ ପରିଣତ କରିଥାଏ । ଯେହେତୁ ବିଭିନ୍ନ ପରିବେଶରେ କୋଠାବାଡ଼ିର ନିର୍ମାଣ ବୃଦ୍ଧି ପାଇବାରେ ଲାଗିଛି, ସୁରକ୍ଷିତ ଏବଂ ସ୍ଥାୟୀ ନିର୍ମାଣ ଅଭ୍ୟାସ ପାଇଁ ଏଭଳି ମୌଳିକ ସମାଧାନଗୁଡ଼ିକୁ ବୁଝିବା ଏବଂ କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. କମ୍ବାଇନଡ୍ ଫୁଟିଙ୍ଗ୍ ଗଣନା ପାଇଁ ସୁତ୍ର କଣ?

କମ୍ବାଇନଡ୍ ଫୁଟିଙ୍ଗ୍ ଗଣନା ସୁତ୍ର ଏକାଧିକ କଲମ୍ ରୁ ଜାତ ଭାରକୁ ମାଟିର ଭାର ବହନ କ୍ଷମତା ସହିତ ସନ୍ତୁଳନ କରିବା ଉପରେ ନିର୍ଭର କରିଥାଏ । ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ଫୁଟିଙ୍ଗ୍ କ୍ଷେତ୍ରଫଳ ଏପରି ଭାବରେ ରଖାଯାଏ ଯେ ଭାରମାନ ଏବଂ ଘନତା କେନ୍ଦ୍ର ସମମିଳନ ରହିଥାଏ । ଏକ ଆୟତାକାର କମ୍ବାଇନଡ୍ ଫୁଟିଙ୍ଗ୍ ପାଇଁ ସୁତ୍ର ହେଉଛି: A = P/q, ଯେଉଁଠାରେ P ହେଉଛି ମୋଟ ଭାର ଓ q ହେଉଛି ମାଟିର ଧାରଣ କ୍ଷମତା ।

 

୨. କମ୍ବାଇନଡ୍ ଫୁଟିଙ୍ଗ୍ ର ଆକାର ଓ ଆୟତନ କଣ? 

କଲମ୍ ଗୁଡ଼ିକରୁ ଜାତ ଭାର, ମାଟିର ବହନ କ୍ଷମତା ଏବଂ କଲମ୍ ଗୁଡ଼ିକ ମଧ୍ୟରେ ରହିଥିବା ଦୂରତା ଉପରେ କମ୍ବାଇନଡ୍ ଫୁଟିଙ୍ଗ୍ ର ଆୟତନ ଓ ଆକାର ନିର୍ଭର କରିଥାଏ । ସାଧାରଣତଃ, ଫୁଟିଙ୍ଗ୍ ଗୁଡ଼ିକୁ ଦକ୍ଷତାର ସହିତ ଭାରକୁ ବଣ୍ଟନ କରିବା ପାଇଁ ଯଥେଷ୍ଟ ପ୍ରସ୍ଥ ଏବଂ ଦୈର୍ଘ୍ୟ ସହ ଏକ ମିଳିତ ଆଧାର ଉପରେ ଉଭୟ କଲମ୍ କୁ ସ୍ଥାନିତ କରିବା ପାଇଁ ଡିଜାଇନ୍ କରାଯାଇଥାଏ । ଏହା ସ୍ଥିରତା ଏବଂ ସନ୍ତୁଳନକୁ ସୁନିଶ୍ଚିତ କରିଥାଏ ।

 

୩. କମ୍ବାଇନଡ୍ ଫୁୁଟିଙ୍ଗ୍ ର ନ୍ୟୂନତମ ମୋଟେଇ କେତେ?

ମାଟିର ବହନ କ୍ଷମତା, କଲମ୍ ରୁ ଆସୁଥିବା ଭାର ଏବଂ ବକ୍ରତା ଏବଂ ଶିୟର୍ ଫୋର୍ସ ଭଳି ସୁରକ୍ଷା କାରକ ଦ୍ୱାରା କମ୍ବାଇନଡ୍ ଫୁଟିଙ୍ଗ୍ ଗୁଡ଼ିକର ସର୍ବନିମ୍ନ ମୋଟେଇ ନିରୂପଣ କରାଯାଇଥାଏ । ଅଧିକାଂଶ ମାମଲାରେ, ସାଧାରଣତଃ ୨୦୦-୩୦୦ ମିମି ମୋଟେଇର ଫୁଟିଙ୍ଗ୍ ନିର୍ମାଣ କରାଯାଏ, କିନ୍ତୁ ଇଞ୍ଜିନିୟରିଂ ଡିଜାଇନ୍ ମାନକ ଭିତ୍ତିରେ ବିନିର୍ଦ୍ଦିଷ୍ଟ ଆବଶ୍ୟକତା ଭିନ୍ନ ହୋଇପାରେ ।

 

୪. କମ୍ବାଇନଡ୍ ଫୁଟିଙ୍ଗ୍ ର ବର୍ଗୀକରଣ କ’ଣ କ’ଣ?

ଭାର ଏବଂ କଲମ୍ ବିନ୍ୟାସ ଆଧାରରେ କମ୍ବାଇନଡ୍ ଫୁଟିଙ୍ଗ୍ କୁ ଏକାଧିକ ପ୍ରକାରରେ ବର୍ଗୀକୃତ କରାଯାଇଥାଏ:

 

୧. ଆୟତାକାର କମ୍ବାଇନଡ୍ ଫୁଟିଙ୍ଗ୍: ସମାନ ଭାର ବିଶିଷ୍ଟ କଲମ୍ ଗୁଡ଼ିକ ପାଇଁ ଆଦର୍ଶ ।

୨. ଟ୍ରାପେଜଏଡାଲ୍ କମ୍ବାଇନଡ୍ ଫୁଟିଙ୍ଗ୍: ଅସମାନ ଭାର ବିଶିଷ୍ଟ କଲମ୍ ଗୁଡ଼ିକ ପାଇଁ ଉପଯୁକ୍ତ ।

୩. ଷ୍ଟ୍ରାପ୍ ଫୁଟିଙ୍ଗ୍: ଭାରକୁ ସମାନ ଭାବେ ବଣ୍ଟନ କରିବା ପାଇଁ ଗୋଟିଏ ବିମ୍ ସହିତ ଦୁଇଟି ଫୁଟିଙ୍ଗ୍ କୁ ସଂଯୋଗ କରିଥାଏ ।

୪. ସ୍ଲାବ୍ ଓ ବିମ୍ ଫୁଟିଙ୍ଗ୍: ବିମ୍ ଓ ସ୍ଲାବ୍ ଦ୍ୱାରା ବଡ଼ କ୍ଷେତ୍ରରେ କଲମ୍ ଭାରକୁ ସମ୍ଭାଳିବା ପାଇଁ ବ୍ୟବହୃତ ହୋଇଥାଏ ।

 

୫. କମ୍ବାଇନଡ୍ ଫୁଟିଙ୍ଗ୍ ତାହାର ମୁଖ୍ୟ ଶକ୍ତି କେଉଁଠାରୁ ପାଇଥାଏ? 

କମ୍ବାଇନଡ୍ ଫୁଟିଙ୍ଗ୍ ତାହାର ମୁଖ୍ୟ ଶକ୍ତି ଲମ୍ବ ଏବଂ ଅନୁଲମ୍ବ ଛଡ଼ରୁ ପ୍ରାପ୍ତ କରିଥାଏ, ଯାହା ବେଣ୍ଡିଂ ଓ ଶିୟର୍ ଫୋର୍ସର ପ୍ରବନ୍ଧନ କରିଥାଏ । ଫୁଟିଙ୍ଗ୍ ସ୍ତରରେ ରଖାଯାଇଥିବା ଏହି କମ୍ବାଇନଡ୍ ଫୁଟିଙ୍ଗ୍ ରିଇନଫୋର୍ସମେଣ୍ଟ କାର୍ଯ୍ୟ ସ୍ଥିରତା ଓ ଶକ୍ତିରେ ଯୋଗଦାନ ଦେଇଥାଏ ଏବଂ ଆପଣଙ୍କୁ ଢାଞ୍ଚାଗତ ଚାପ ସହିପାରୁଥିବା ଏକ ଦୀର୍ଘସ୍ଥାୟୀ ଫାଉଣ୍ଡେସନ୍ ପ୍ରାପ୍ତ ହୋଇଥାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....